ସଂଚାର ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ବିବାଦର ସମାଧାନ ପାଇଁ ଆଜି ସକାଳେ ଯେଉଁ ବୈଠକ ଡକାଯାଇଥିଲା ସେଥିରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଯୋଗ ଦେଇନଥିଲେ। ମନ୍ଦିର ସମସ୍ୟା ଯେହେତୁ ମନ୍ଦିର କାର୍ଯ୍ୟାଳୟରେ ବୈଠକ ହେବା କଥା, ତାହା କରାନଯାଇ ନିଜ ସ୍ତରରେ ବୈଠକ କରାଯିବାରୁ ଯୋଗ ଦେଇନଥିବା ସେମାନେ କହିଥିଲେ। ସେମାନେ ପ୍ରଶ୍ନ କରିଛନ୍ତି, ପ୍ରଶାସନ ୩ ଦିନ ପରେ କାହିଁକି ବୈଠକ ଡାକିଛି। ସବୁବେଳେ ପ୍ରଶାସନ କାହିଁକି ଚୁପ୍। ଯଦି ସବୁ କାମ ବଡୁ ନିଯୋଗ କରିବେ ତେବେ ଅନ୍ୟ ସେବାୟତଙ୍କ ଆବଶ୍ୟକତା କଣ ସରକାର ଚିନ୍ତା କରନ୍ତୁ। ଘୃତ କମଳ ନୀତି ଆରମ୍ଭ କରି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ। ଏହାପରେ ମନ୍ଦିର ନୀତି ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ତରଫରୁ କୁହାଯାଇଛି। ୧୯୪୩ ମସିହାରେ ଯେଉଁ ନିୟମ କରାଯାଇଥିଲା ତାହା ୱେବ୍ ସାଇଟ୍ ରେ ଉପଲବ୍ଧ ଅଛି। ତାକୁ ଆଧାର କରି ସ୍ଥାୟୀ ସମାଧାନ କରନ୍ତୁ। ନ ହେଲେ ଆଗକୁ ଶିବରାତ୍ରି, ଅଶୋକାଷ୍ଟମୀରେ ମଧ୍ୟ ବିଭ୍ରାଟ ଦେଖାଯିବ ବୋଲି ସେମାନେ କହିଛନ୍ତି।