ଭୁବନେଶ୍ୱର :ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ସମାରୋହ କେବଳ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମୂଳ ପରିଚୟକୁ ପରିଚିତ କରାଇବାର ଅବସର ନୁହେଁ, ବରଂ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବାର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗଦେବା ସହ ୟୁଏସ, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳ, ଭାରତୀୟ ପ୍ରବାସୀଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି ତଥା ମନ୍ଦିର ମାଳିନୀ ଭୁବନେଶ୍ୱରରେ ସମବେତ ହୋଇଥିବା ପ୍ରବାସୀ ଭାରତୀୟଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟ ଆୟୋଜନ ଦ୍ୱାରା ଓଡ଼ିଶା ଆଜି ବିଶ୍ୱବିଦିତ ହୋଇଛି । ଓଡ଼ିଶାର ପରିବେଶ, ଓ ଆତିଥେୟତାକୁ ବୈଶ୍ୱିକ ସ୍ତରର ଲୋକମାନେ ସମସ୍ତେ ପସନ୍ଦ କରୁଛନ୍ତି । ପ୍ରବାସୀ ଭାରତୀୟ ଆୟୋଜନ ଦ୍ୱାରା ଓଡ଼ିଶା ଆଜି ବିଶ୍ୱବିଦିତ ହୋଇଛି । ଓଡ଼ିଶାର ପରିବେଶ, ଓ ଆତିଥେୟତାକୁ ବୈଶ୍ୱିକ ସ୍ତରର ଲୋକମାନେ ସମସ୍ତେ ପସନ୍ଦ କରୁଛନ୍ତି । ଆଜି ଐତିହ୍ୟ ପ୍ରେରିତ ଯୁବଶକ୍ତି ସମ୍ପନ୍ନ ପ୍ରବାସୀ ଭାରତୀୟଙ୍କ ଗୌରବମୟ ସାଫଲ୍ୟର ସମାରୋହରେ ପ୍ରଧାନମନ୍ତ୍ରୀ ଉଦୟଗିରି, କୋଣାର୍କ, ଆମର ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ, ଐତିହାସିକ ବାଲିଯାତ୍ରା, ବୌଦ୍ଧ ସର୍କିଟ୍ ତଥା ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଗୌରବମୟ ଇତିହାସ ଓ ଅନନ୍ୟ ଐତିହ୍ୟକୁ ଉପସ୍ଥାପନ କରିଛନ୍ତି । ଓଡ଼ିଶା ହେଉଛି ଶାନ୍ତିର ମାଟି । କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜନ କରିଛି । ପ୍ରଧାନମନ୍ତ୍ରୀ ଯୁଦ୍ଧ ନୁହେଁ ବରଂ ବୁଦ୍ଧର ଆହ୍ୱାନ ଦେଇ ଆମର ବହୁତ ପୁରୁଣା ଐତିହାସିକ ତଥ୍ୟ ଓ ସମାଜରେ ତା’ର ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି । ଶାନ୍ତିର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ରକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ତଥା ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶାର ମର୍ଯ୍ୟାଦା ବଢ଼ାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।