ରାୟପୁର : ଟଙ୍କା, ଲୋଭ ଆଉ ଗୁମର ଖୋଲିଯିବାର ଭୟ ମନୁଷ୍ୟକୁ ପଶୁ କରି ଦେଇଥାଏ। ଏହାର ମାୟାରେ ପଡ଼ି ମନୁଷ୍ୟ ନାନା କୁକର୍ମ କରିଥାଏ। ଭାଇ, ବନ୍ଧୁ, ସମ୍ପର୍କୀୟ ଆଦିଙ୍କୁ ମଧ୍ୟ ଦେଖି ନ ଥାଏ। ସବୁ ସମ୍ପର୍କକୁ ତୁଚ୍ଛ କରିଦେଇଥାଏ। ଠିକ୍ ଏଭଳି ଘଟଣା ଘଟିଥିଲା ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ କ୍ଷେତ୍ରରେ। ମୁକେଶଙ୍କ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ ସମ୍ପର୍କୀୟ ଭାଇ ଏବଂ ଘନିଷ୍ଠ ବନ୍ଧୁ ତାଙ୍କର ଶତ୍ରୁ ପାଲଟି ଯାଇଥିଲେ। ଆଉ ଷଡ଼ଯନ୍ତ୍ର କରି ତାଙ୍କୁ ବାଟରୁ ହଟାଇ ଦେଇଥିଲେ। ଯେଉଁ ଭଳି ଭାବେ ମୁକେଶଙ୍କୁ ହତ୍ୟା କରାଗଲା ତାହା ଲୋକଙ୍କ ପାଇଁ ଲଢ଼େଇ କରୁଥିବା ଏଭଳି ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ହତ୍ୟାରେ ସାମିଲ ଚାରି ଜଣଙ୍କୁ ପୁଲିସ ଗିରଫ କରିଛି।
ଆଉ ଏହାରି ମଧ୍ୟରେ ଆଜି ଆସିଛି ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ, ଯେଉଁ ରିପୋର୍ଟରେ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ମୃତ୍ୟୁ ପୂର୍ବରୁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ମୁକେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ମୁଣ୍ଡରେ ଲାଗିଥିବା ୧୫ ଆଘାତ ଚିହ୍ନ। ଫାଟିଥିଲା ଛାତି, ୪ ଖଣ୍ଡ ହୋଇଥିଲା କଲିଜା। କେବଳ ସେତିକି ନୁହେଁ ବେକ ହାଡ଼ ବି ଭାଙ୍ଗି ଚୁରମାର କରିଦେଇଥିଲେ ହତ୍ୟାକରୀ। ଆଉ ଏପରି ନୃଶଂସ ହତ୍ୟା କେବେ ଦେଖି ନ ଥିବା କହିଛନ୍ତି ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ଶବବ୍ୟବଚ୍ଛେଦ କରିଥିବା ଡାକ୍ତର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁକେଶ ଚନ୍ଦ୍ରକରଙ୍କ ଶରୀରର ପୋଷ୍ଟମର୍ଟମ କରିଥିବା ଡାକ୍ତର କହିଛନ୍ତି ଯେ ତାଙ୍କ ୧୨ ବର୍ଷର କ୍ୟାରିଅରରେ ସେ ଏପରି ଘଟଣା କେବେ ଦେଖି ନାହାଁନ୍ତି। ମୁକେଶଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ସୂଚନାଯୋଗ୍ୟ ନିକଟରେ ବସ୍ତର ଅଞ୍ଚଳରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ ସାମ୍ବାଦିକ ମୁକେଶ। ଏହି ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା। ପରେ ଏହା ବଢ଼ି ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତଥା ଏହାର ମାନ ଓ ଲମ୍ବ କିମ୍ବା ଓସାରରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ୧୨୦ କୋଟି ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ।ଏଥିରେ କେମିତି ଦୁର୍ନୀତି ହୋଇଛି, ସେ ନେଇ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେଣୁ ତାଙ୍କ ଉପରେ ରାଗ ରଖିଥିଲେ ରାସ୍ତା ତିଆରି କରିଥିବା ଠିକାଦାର ଓ ଏଥିରେ ସଂପୃକ୍ତ ଅନ୍ୟ ଲୋକ।
ଆଉ ଏହାପରେ ଠିକାଦାର ଓ ମୁକେଶ ଚନ୍ଦ୍ରକାରଙ୍କ ସମ୍ପର୍କୀୟ ଭାଇ ରଚିଥିଲେ ଷଡ଼ଯନ୍ତ୍ର । ନୂଆ ବର୍ଷର ପ୍ରଥମ ଦିନରେ ମୁକେଶଙ୍କୁ ମାରିବା ପାଇଁ ସେ ରିତେଶ ଚନ୍ଦ୍ରାକର, ଦିନେଶ ଚନ୍ଦ୍ରାକର ଏବଂ ସୁପର ଭାଇଜର ମହେନ୍ଦ୍ର ରାମଟେକେଙ୍କ ସହ ମିଶି ଯୋଜନା କରିଥିଲା। ମୁକେଶଙ୍କ ସମ୍ପର୍କୀୟ ଭାଇ ଥିଲେ ଦିନେଶ, ରିତେଶ ଏବଂ ସୁରେଶ। ବଡ଼ ଭାଇ ସୁରେଶର ଠିକାଦାର କାମର ଦେଖାରଖା କରୁଥିଲା ରିତେଶ। ତାର ମୁକେଶଙ୍କ ସହ ଭଲ ସମ୍ପର୍କ ଥିଲା। ଦୁହେଁ ଏକାଠି ବୁଲୁଥିଲେ ଏବଂ ରହୁଥିଲେ। ଏହାର ଲାଭ ଉଠାଇ ଥିଲେ ଅଭିଯୁକ୍ତ। ନୂଆ ବର୍ଷ ରାତିରେ ମୁକେଶଙ୍କୁ ରାତ୍ରିଭୋଜନ ପାଇଁ ରିତେଶଙ୍କ ଘରକୁ ଡାକିଥିଲେ। ସାଙ୍ଗ ଡାକିଥିବାରୁ ଏହି ସାମ୍ବାଦିକ ଆଉ ମନା କରିପାରି ନ ଥିଲେ। ପହଞ୍ଚିବା ପରେ ପ୍ରଥମେ ଖାଇବାକୁ ଦେଇଥିଲେ। ପରେ ନିର୍ଧୁମ ମାଡ଼ ମାରିଥିଲେ। ଅଧମରା ହୋଇଯିବା ପରେ ତଣ୍ଟି ଚିପି ଦେଇଥିଲେ। ଶେଷରେ ଟାଙ୍ଗିଆରେ ମୁଣ୍ଡକୁ ହାଣି ମାରିଥିଲେ। ଏଥିଯୋଗୁଁ ତାଙ୍କ ମୁଣ୍ଡରେ ଅଢ଼େଇ ଇଞ୍ଚର କ୍ଷତ ହୋଇ ଯାଇଥିଲା। ମରିଯିବା ପରେ ପାଇଖାନା ଟାଙ୍କିରେ ପକାଇ ଗନ୍ଧ ନ ଆସିବା ପାଇଁ ତାହାକୁ ପ୍ଲାଷ୍ଟର କରି ସମସ୍ତେ ଫେରାର ହୋଇ ଯାଇଥିଲେ।
ସୁରେଶ ଏବଂ ମୁକେଶଙ୍କ ମଧ୍ୟରେ ସେତେ ଭଲ ପଡ଼େନି। କାରଣ ସୁରେଶ ବିବାହ ସମୟରେ ନିଜ ପତ୍ନୀଙ୍କୁ ହେଲିକପ୍ଟରରେ ଆଣିଥିଲା। ସେତେବେଳେ ଏହି ଖବର ଚର୍ଚ୍ଚାରେ ଥିଲା। ଏହାକୁ ନେଇ ଗଣମାଧ୍ୟମ ସୁରେଶଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ତେଣୁ ଏହା ପଛରେ ମୁକେଶଙ୍କ ହାତ ଥିବା ସୁରେଶ ସନ୍ଦେହ କରୁଥିଲା। ସାମ୍ବାଦିକ ହୋଇଥିବାରୁ ଅନ୍ୟମାନଙ୍କୁ କହି ତା ବିରୋଧରେ ଖବର ଚଲାଉଛି ବୋଲି ଭାବୁଥିଲା। ତେବେ କିଛି ଦିନ ତଳେ ୫୨ କିମିର ସଡ଼କ ନିର୍ମାଣ ସମ୍ବନ୍ଧିତ ଖବରକୁ ନେଇ ତିକ୍ତତା ବଢ଼ିଥିଲା। ଗଙ୍ଗାଲୁରରୁ ମିରତୁର ପର୍ଯ୍ୟନ୍ତ ଏହି ରାସ୍ତା ପାଇଁ ପ୍ରଥମେ ୫୦ କୋଟି ଟଙ୍କା ଅନୁମୋଦନ ହୋଇଥିଲା। ପରେ ଏହାକୁ ବଢ଼ାଇ ୧୨୦ କୋଟି ଟଙ୍କା କରିଦିଆଯାଇଥିଲା। ମାତ୍ର ନିର୍ମାଣ ନିୟମରେ କିଛି ପରିବର୍ତ୍ତନ କରାଯାଇ ନ ଥିଲା। ଏହି ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ମୁକେଶ ଦୁର୍ନୀତି ଖବର ଉଠାଇ ଥିଲେ। ଏହା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସୁରେଶ ଏହା ଦେଖିବା ପରେ ଉତ୍କ୍ଷିପ୍ତ ହୋଇ ମୁକେଶଙ୍କୁ ହଟାଇବାକୁ ଯୋଜନା କରିଥିଲ।