ଭୁବନେଶ୍ୱର : ଆସନ୍ତା ୫ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବେ ସରକାର । ଏନେଇ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିର ହୋଇଛି । ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି ମୂଳପଦବୀ ଖାଲି ପଡ଼ିଛି । ତେବେ ଏହି ସବୁ ପଦବୀ ଭର୍ତ୍ତି କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ରାଜ୍ୟ ସରକାର । ଏହି ସମସ୍ତ ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ନିଯୁକ୍ତି ଆୟୋଗଗୁଡ଼ିକୁ ପ୍ରସ୍ତାବ ପଠାଇବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ରାଜ୍ୟର ୩ଟି ନିଯୁକ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ।
ସୂଚନା ଅନୁସାରେ ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବୈଠକରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ ଭାବେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଅତ୍ୟାବଶ୍ୟକୀୟ ସେବା ଯୋଗାଉ ଥିବା ବିଭାଗ, ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗର ପଦବୀ ଗୁଡିକୁ ଖାଲି ନ ରଖି ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ତେବେ ଗ୍ରୁପ-ବି ବର୍ଗର ପଦବୀଗୁଡ଼ିକ ପୂରଣ ପାଇଁ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଚନ୍ତି । ଭିନ୍ନକ୍ଷମ ବର୍ଗର ନିଯୁକ୍ତି କ୍ଷେତ୍ରରେ ଯାଂଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା କ୍ଷମତାପ୍ରାପ୍ତ କମିଟିର ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ।
ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟରେ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଲୋକବଳ ବଢ଼ିଲେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।