ସଂଚାର ବ୍ୟୁରୋ: ସଂସଦ ଗେଟ ଶିଡିରେ ପଡି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ। ଗୃହକୁ ଯିବା ପ୍ରବେଶ ପଥ ଶିଡିରୁ ପଡ଼ିଯିବାରୁ ପ୍ରତାପ ଆହତ ହୋଇଛନ୍ତି । ସଂସଦ ପ୍ରବେଶ ପଥ ଗେଟରେ ଏହି ଅଘଟଣ ଘଟିଛି । କଂଗ୍ରେସ ଓ ବିଜେପି ସାଂସଦଙ୍କ ଠେଲାପେଲାରେ ପ୍ରତାପ ଶିଡିରେ ପଡିଯାଇଥିଲେ । ସେ ଆହତ ହୋଇ ଲୋହିଆ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେ କହିଛନ୍ତି, ଗେଟ ନିକଟରେ ଠେଲାପେଲା ହେବାରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣକୁ ଠେଲିଦେବାରୁ ସେ ତାଙ୍କ ଉପରେ ପଡିଯିବାରୁ ଏପରି ଅବସ୍ଥା ହେଲା ବୋଲି କହିଛନ୍ତି ପ୍ରତାପ । ଘଟଣାରେ ଅନ୍ଯଜଣେ ସାଂସଦ ମୁକେଶ ରାଜପୁତ ମଧ୍ଯ ଆହତ ହୋଇଛନ୍ତି । ଦୁହିଁଙ୍କର ସ୍ବାସ୍ଥ୍ଯବସ୍ଥା ବିଷୟରେ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । କହିଛନ୍ତି, ସଂସଦରେ ପ୍ରବେଶ ଦ୍ଵାରରେ ମୁଁ ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସାଂସଦ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲେ । ମୋତେ ଧକ୍କା ଦେଇ ଧମକାଉଥିଲେ। ଧକ୍କାମୁକ୍କିରୁ କିଛି ହୁଏନାହିଁ । ସଂସଦ ଭିତରକୁ ଯିବା ଆମର ଅଧିକାର ଅଟେ। ବିଜେପି ସଦସ୍ୟ ଆମକୁ ଭିତରକୁ ଯିବାକୁ ଅଟକାଇବାରୁ ଏପରି ସ୍ଥିତି ଉପୁଜିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆମ୍ବେଦକର ମନ୍ତବ୍ଯକୁ ନେଇ ସଂସଦର ପ୍ରବେଶ ପଥରେ କଂଗ୍ରେସ ବିକ୍ଷୋଭ କରୁଥିଲା ।
ଏହାପରେ ସେମାନେ ସଂସଦ ଭିତରକୁ ଯିବାବେଳେ ଏଣ୍ଟ୍ରିଗେଟରେ ବିଜେପି ସଦସ୍ଯମାନେ ରାସ୍ତା ଛାଡିନଥିଲେ । ଏହାକୁ ନେଇ ଠେଲାପେଲା ହୋଇଥିଲା । ଏହି ସମୟରେ ରାହୁଲ ଜଣକୁ ଠେଲି ଦେବାରୁ ସେ ପ୍ରତାପଙ୍କ ଉପରେ ପଡିଯିବାରୁ ପ୍ରତାପ ପଡିଯାଇଥିଲେ । ଅନ୍ଯପଟେ ବିଜେପି ସାଂସଦମାନେ ସଂସଦ ମାର୍ଗ ଥାନାରେ ପହଞ୍ଚି ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେପଟେ ଲୋକସଭାର ୬ କଂଗ୍ରେସ ସାଂସଦ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ରାଜ୍ଯସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ଯ ଚିଠି ଲେଖି ତଦନ୍ତ ଦାବି କରିଛନ୍ତି । ପ୍ରେରଣା ସ୍ଥଳରୁ ମକର ଦ୍ବାର ଆସିବାବେଳେ ୩ ବିଜେପି ସାଂସଦ କଂଗ୍ରେସ ସାଂସଦଙ୍କୁ ଅଟକାଇଥିଲେ ବୋଲି ଚିଠିରେ ଅଭିଯୋଗ କରିଛନ୍ତି ଖଡଗେ ।