tivkj q}bjlk: ଦିଲ୍ଲୀରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଦେଶଛାଡିଥିବା ହାସିନା ଭାରତରେ ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପୂରା ପରିସ୍ଥିତି ଉପରେ ଅବଗତ କରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ହାସିନାଙ୍କୁ ଭେଟିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ। ଜୟଶଙ୍କରଙ୍କୁ ଭେଟି ସ୍ଥିତି ସମୀକ୍ଷା କରିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧି। ହିଣ୍ଡନ ଏୟାରବେସରେ ବି ଏୟାର କମାଣ୍ଡ ଚିଫ ଏୟାରମାର୍ଶାଲ ପିଏମ ସିହ୍ନାଙ୍କ ସହ ଆଲୋଚନା କରିଛନ୍ତି ହାସିନା। ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବେ ଏସ. ଜୟଶଙ୍କର। ବାଂଲାଦେଶର ସ୍ଥିତି ନେଇ ସଜାଗ ଅଛନ୍ତି ଭାରତୀୟ ବାୟୁସେନା ଓ ଭାରତୀୟ ସେନା। ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ନିଜ ରାଜ୍ଯର ବାସିନ୍ଦାଙ୍କୁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨ ହଜାର ୨୧୭ କିଲୋମିଟର ରହିଛି। ସେପଟେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ବ୍ଯାପକ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଛନ୍ତି। ଏପରିକି କେତେକ ଆନ୍ଦୋଳନକାରୀ ଖଟ ଉପରେ ଶୋଇବା ସହ ଖାଇବା ବି ଦେଖାଯାଇଛି। ଆନ୍ଦୋଳନକାରୀମାନେ ଧାନମୋନ୍ଦିସ୍ଥିତ ଇନ୍ଦିରା ଗାନ୍ଧୀ କଲଚରାଲ ସେଣ୍ଟର ଓ ବଙ୍ଗବନ୍ଧୁ ମେମୋରିଆଲ ମ୍ଯୁଜିୟମକୁ ଭଙ୍ଗାରୁଜା କରିଛନ୍ତି। ଆଶ୍ରୟ ଦେବା ଲାଗି ବ୍ରିଟେନ ନିକଟରେ ହାସିନା ଅନୁରୋଧ କରିଥିଲେ ବି ବ୍ରିଟେନ ପକ୍ଷରୁ ଗ୍ରୀନ ସିଗନାଲ ମିଳିନାହିଁ।