ସଂଚାର ବ୍ୟୁରୋ: ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଖିଲା, ଉପକୂଳରେ କୋହଲା ପାଗ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଫଳରେ ଟୁଇନସିଟିରେ ମଧ୍ୟମ ଧରଣର ବର୍ଷା ହୋଇଛି । ବୌଦ୍ଧରେ ସର୍ବାଧିକ ୧୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ ଜାରି ରହିଛି । ଉତ୍ତରା ପବନ ବଦଳରେ ରାଜ୍ୟକୁ ସାମୁଦ୍ରିକ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିଥିବାରୁ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ଅଧିକାଂଶ ଜିଲ୍ଲାରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ପାଗ ବଦଳିବା ସହ ସର୍ବନିମ୍ନ ତାପାମାତ୍ରାରେ କମିବ ବୋଲି ଆକଳନ କରାଯାଇଛି । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ନଭେମ୍ବର ମାସରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରୁ ତାପମାତ୍ରା ବୃଦ୍ଧି ପାଇବା ସହ ବାୟୁମଣ୍ଡଳରେ ୮୦ ରୁ ୯୦ ପ୍ରତିଶତ ଆର୍ଦ୍ରତା ରହିଥିଲା । ଫଳରେ ମାର୍ଗଶିର ମାସରେ ଶୀତ ଅନୁଭବ ହୋଇନାହିଁ ।

