୧୯୮୪ ମସିହା, ଏକ ଶୀତୁଆ ସକାଳରେ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ଭାରତୀୟ ବାୟୁସେନା ଅଧିକାରୀ ରାକେଶ ଶର୍ମା । ସୋୟୁଜ୍ ଟି-୧୧ ଇଞ୍ଜିନର ଗର୍ଜନ ସହ ସେ ଉପରକୁ ଉଠିବାକୁ ଲାଗିଲେ ଆଉ କିଛି ସମୟ ପରେ ସେ ପୃଥିବୀକୁ ଅତିକ୍ରମ କରି ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଏହି ଯାତ୍ରା ସହ ରାକେଶ ଶର୍ମା ବନିଗଲେ ପ୍ରଥମ ଭାରତୀୟ ମହାକାଶଚାରୀ । ବାସ୍ ତା ପରଠାରୁ ଦୀର୍ଘ ୪ ଦଶନ୍ଧି ହେଲା କୌଣସି ଜଣେ ବି ମହାକାଶଚାରୀ ଭାରତରୁ ବାହାରି ନଥିଲେ । ହେଲେ ଏବେ ସେହି ସମୟ ପୁଣି ଥରେ ଆସିଛି । ୧୯୮୪ ପରେ ୨୦୨୫ରେ ଭାରତ ଇତିହାସରେ ପୁଣି ଜଣେ ମହାକାଶଚାରୀଙ୍କ ନାମ ଯୋଡି ହୋଇ ଯାଇଛି ଆଉ ସିଏ ହେଉଛନ୍ତି ଶୁଭାଂଶୁ ଶୁକ୍ଳା ।
ଯିଏ ମହାକାଶ ପାଇଁ ଯାତ୍ରା ଆରମ୍ଭ କରି ସାରିଛନ୍ତି। ୧୯୮୪ ମସିହାରେ ଯେବେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ ତାର୍ ଠିକ୍ ବର୍ଷେ ପରେ ମାନେ ୧୯୮୫ରେ ଜନ୍ମ ହୋଇଥିଲେ ଶୁଭାଂଶୁ ।
ଆକାଶର ତାରାଙ୍କୁ ଦେଖି ଦେଖି ତାଙ୍କ ପିଲାବେଳ ଖାଲି କଟିନି ବରଂ ତାରଭର୍ତ୍ତି ଆକାଶକୁ ଭେଦି ମହାକାଶରେ ପହଞ୍ଚିବାକୁ ତାଙ୍କ କୁନି ଆଖି ବୋଧେ ସେବେଠୁ ସ୍ବପ୍ନ ଦେଖୁଥିଲା ଯାହା ୪୦ ବର୍ଷ ପରେ ସତ ହୋଇଛି । ଏହି ଯାତ୍ରା ସହ ଶୁଭାଂଶୁ ଶୁକ୍ଳା ପାଲଟିଛନ୍ତି ୨ୟ ଭାରତୀୟ । ଯିଏ ମହାକାଶକୁ ଯାତ୍ରା କରିଛନ୍ତି । ତେବେ ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ଭାରତ ପାଇଁ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ । ଭାରତୀୟଙ୍କୁ ନମସ୍କାର କହି ବାର୍ତ୍ତା ଦେଇଛନ୍ତି ।
ଶୁଭାଂଶୁ କହିଛନ୍ତି- ନମସ୍କାର, ମୋର ପ୍ରିୟ ଦେଶବାସୀ ! ଏହା ଏକ ଚମତ୍କାର ଯାତ୍ରା । ଭାରତ ୪୧ ବର୍ଷ ପରେ ପୁଣି ଥରେ ମହାକାଶକୁ ଫେରିଛି । ଆମେ ସେକେଣ୍ଡ ପ୍ରତି ୭.୫ କିଲୋମିଟର ବେଗରେ ପୃଥିବୀ ଚାରିପାଖରେ ଘୁରୁଛୁ । ମୋ କାନ୍ଧରେ ତ୍ରିରଙ୍ଗା ଲଗାଯାଇଛି, ଯାହା ମତେ କହୁଛି ଯେ ମୁଁ ତୁମ ସମସ୍ତଙ୍କ ସହିତ ଅଛି । ମୋର ଏହି ଯାତ୍ରା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ପାଇଁ ନୁହେଁ ବରଂ ଭାରତର ମାନବ ମହାକାଶ କାର୍ଯ୍ଯକ୍ରମ ପାଇଁ.. ମୁଁ ଚାହେଁ ସମସ୍ତେ ଏହି ଯାତ୍ରାର ଅଂଶ ହୁଅନ୍ତୁ । ସମସ୍ତଙ୍କ ଛାତି ଗର୍ବରେ ଫୁଲିଯାଉ.. ଜୟ ହିନ୍ଦ , ଜୟ ଭାରତ…