ସମ୍ବଲପୁରରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । ଦୁର୍ଦ୍ଦାନ୍ତ ଅପରାଧୀ କମଲୁ ପ୍ରଧାନକୁ ଏନକାଉଣ୍ଟର କରାଯାଇଛି । ଗୁରୁବାର ସକାଳୁ ଏ.କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତର ଡାହାଣ ଗୋଡରେ ଗୁଳି ବାଜି ଥିବାରୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗତ ୪ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପୂର୍ବରୁ ଏନେଇ ଏକ ମାମଲା ଚାଲିଥିବା ବେଳେ ପ୍ରାୟ ୧୧ଟା ସମୟରେ ସ୍ବାମୀ କମଳ ଚରଣ ପ୍ରଧାନ ପତ୍ନୀକୁ ଆକ୍ରମଣ କରିବା ପାଇଁ ଆସିଥିବା ଖବର ପାଇଥିଲେ ବୁର୍ଲା ଥାନା ପୋଲିସ କନଷ୍ଟେବଳ ସରୋଜ ଭୋଇ । ଖବର ପାଇବା ପରେ ସରୋଜ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା । କିନ୍ତୁ ପାଲଟା ପାଟିତୁଣ୍ଡ କରିବା ସହ ସରୋଜଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା କମଳ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏ.କଟାପାଲି ଜଙ୍ଗଲରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଣି ଥରେ ପୋଲିସ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କମଲୁ । ଜଣେ ପୋଲିସ କର୍ମଚାରୀ ଆହତ ହେବାରୁ ପୋଲିସ କମଲୁକୁ ଏନକାଉଣ୍ଟର କରିଛି ।