ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତିକି ପାଖେଇଆସୁଛି ଲୋଭନୀୟ ପ୍ରତିଶ୍ରୁତି ସେତେ ଅଧିକ ହେବାରେ ଲାଗିଛି। ଦିଲ୍ଲୀ ନିର୍ବାଚନ ଲାଗି ଦିଲ୍ଲୀ ବିଜେପି ପକ୍ଷରୁ ଜାରି ଦ୍ବିତୀୟ ଘୋଷଣାପତ୍ରକୁ ନେଇ ବଢିଛି ବିବାଦ। କମ୍ପିଟିଟିଭ ଏକଜାମ ଲାଗି ଆଶାୟୀ ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ କେଜିରୁ ପିଜି ଯାଏ ମାଗଣା ଶିକ୍ଷା ଲାଗି ବିଜେପିର ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦଳ ଆହୁରି କହିଛି- କମ୍ପିଟିଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଦୁଇ ଥରର ଯାତାୟତ ଖର୍ଚ୍ଚ ଓ ଆବେଦନ ପତ୍ର ଫିକୁ ମଧ୍ଯ ଫେରସ୍ତ କରାଯିବ। ଘରୋଇ ସ୍ତରରେ କାମ କରୁଥିବା ଶ୍ରମିକଙ୍କ ଲାଗି ଏକ କଲ୍ଯାଣ ବୋର୍ଡ ଗଠନ ସହ ସେମାନଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଲାଗି ଘୋଷଣା କରିଛି ଦଳ। ଡକ୍ଟର ବି.ଆର. ଆମ୍ବେଦକର ଛାତ୍ରବୃତ୍ତି ଯୋଜନାରେ ଏସସି ବର୍ଗର ଛାତ୍ରଛାତ୍ରୀଙ୍କୁ ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ ବି ଘୋଷଣା କରିଛି ବିଜେପି। ସେପଟେ ବିଜେପିର ଏହି ଘୋଷଣାକୁ ବିରୋଧ କରିଛି ଆମ୍ ଆଦମୀ ପାର୍ଟି। ଏହା ଅତି ବିପଜ୍ଜନକ ବୋଲି କହି କହିଛି ଆପ୍। ଦିଲ୍ଲୀରେ ଯଦି ବିଜେପି କ୍ଷମତାକୁ ଆସେ ତେବେ ସରକାରୀ ସ୍କୁଲରେ ମାଗଣା ଶିକ୍ଷାକୁ ବନ୍ଦ କରିଦିଆଯିବ ବୋଲି କହିଛନ୍ତି ଆପ୍ ମୁଖ୍ଯ ଅରବିନ୍ଦ କେଜରିୱାଲ। ତେଣେ ଦିଲ୍ଲୀରେ ଧୋବୀ ସମାଜ କଲ୍ଯାଣ ବୋର୍ଡ ଗଠନ ହେବ ବୋଲି କହିଛନ୍ତି କେଜରିୱାଲ।